ମାଲକାନଗିରିରେ ଦୁର୍ଘଟଣାରେ ୩ ମୃତ, କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରିରେ ବସ୍‌ ଧକ୍କାରେ ୩ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାହସ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ମାଲକାନଗିରି ନିକଟସ୍ଥ ଏମ୍‌ଭି-୭ ଗାଁ ନିକଟରେ ଗତକାଲି ସଂଧ୍ୟାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବସ୍‌ ଧକ୍କାରେ ୩ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥଲା । ମୃତକମାନେ ହେଲେ ଏମ୍‌ଭି-୮୬ ଗାଁର ପ୍ରତାପ ବିଶ୍ୱାସ, ଗୁଡ଼ୁ ବିଶ୍ୱାସ ଓ କରଣ ସେନ୍ । ମାଲକାନଗିରିରୁ ପଡ଼ିଆକୁ ଚଳାଚଳ କରୁଥିବା ଓଏସ୍‌ଆରଟିସି ବସ୍‌ (ଓଡି-୩୦-୪୯୦୯) ଗତକାଲି ସଂଧ୍ୟା ପ୍ରାୟ ୬ଟାରେ ତମସା ନଦୀ ଅତିକ୍ରମ କରୁଥିଲା । ଏହି ସମୟରେ ଗୋଟିଏ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌କୁ ଜୋର୍‌ରେ ଧକ୍କା ଦେବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ବାଇକ୍‌ ଆରୋହୀ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ହେବାରୁ ବସ୍‌ ଚାଳକ ସେଠାରୁ ଫେରାର ହୋଇଯାଇଥିଲା । ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

Leave a Reply

Your email address will not be published. Required fields are marked *