ପ୍ରତିଶୃତି ପାଳନ କଲେ ମୋହନ ସରକାର, ଚାଷୀଙ୍କୁ ମିଳିଲା ୮୦୦ ଟଙ୍କାର ଇନପୁଟ୍ ସବସିଡି

ଚାଷୀମାନଙ୍କୁ ମଳିଲା ୮୦୦ ଟଙ୍କାର ଇନପୁଟ୍ ସବସିଡି । ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କୁ ଏହି ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି । ୨୩୦୦ ଟଙ୍କାର ଏମଏସପି ସହ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି । ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଥିବା ସମସ୍ତ ଚାଷୀଙ୍କୁ ଏହି ଟଙ୍କା ମିଳିଛି । ମଞ୍ଚରେ ୧୩ ଜଣ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ କହିଥିଲେ ଯେ, ଆଜିର ଦିନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆପଣମାନେ ରାଜ୍ୟରେ ବିଜେପି ସରକାରକୁ କ୍ଷମତାକୁ ଆଣିଥିବାରୁ ଧନ୍ୟବାଦ । ସରକାର ଗଠନ ହେବାର ଏକ ଘଣ୍ଟା ପରେ ଆମେ କ୍ୟାବିନେଟ ବୈଠକରେ ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ । ଆଉ ଛଅ ମାସ ଭିତରେ ସରକାର ଚାଷୀମାନଙ୍କୁ ଏହି ବୋନସ୍ ପ୍ରଦାନ କରି ନିଜ ପ୍ରତିଶ୍ରୁତି ପୂରଣ କରିଛୁ । ଆୟୋଜିତ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଈରାଶିଷ ଆଚାର୍ଯ୍ୟ, ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସମେତ ସନତ ଗଡ଼ତିୟା, ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *