ଅକ୍ଷୟ ତୃତୀୟାରେ ରାଜଧାନୀରେ ୧୭୫ କୋଟିର ସୁନା ବିକ୍ରି

ଭୁବନେଶ୍ୱର: ଦିନ ବେଳା ଖଚାଖଚ୍‌ ଭିଡ଼ । ଉପରବେଳା ସମ୍ପୂର୍ଣ୍ଣ ବନ୍ଦ । ଅକ୍ଷୟ ତୃତୀୟାରେ ଶୁକ୍ରବାର ଭୁବନେଶ୍ୱର ଜନପଥରେ ଥିବା ଗହଣା ଦୋକାନଗୁଡ଼ିକରେ କିଛି ଏଭଳି ଦୃଶ୍ୟ ଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୢାଲି ପାଇଁ ଅପରାହ୍ନରେ ଜନପଥକୁ ବନ୍ଦ କରିଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିବାରୁ ଗ୍ରାହକମାନେ ସକାଳୁ ସକାଳୁ ସୁନା ‌ଦୋକାନଗୁଡ଼ିକରେ ଭିଡ଼ ଲଗାଇଥିଲେ । ସବୁ ସୋ’ରୁମ୍‌ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସେମାନେ ସୁନା ହାରଠାରୁ ଆରମ୍ଭ କରି ଚୁଡ଼ି, ଚେନ୍, ମୁଦି, କାନଫୁଲ ଆଦି କିଣି ଘରକୁ ନେଇଥିଲେ । ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ୱିଣ୍ଟାଲ ସୁନା ବିକ୍ରି ହୋଇଛି, ଯାହାର ମୂଲ୍ୟ ୧୭୫ କୋଟି ଟଙ୍କାରୁ ଅଧିକ । ଉପରବେଳାର କାରବାର ପ୍ରଭାବିତ ହେବା ସତ୍ତ୍ୱେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଅଧିକ ସୁନା ବିକ୍ରି ହୋଇଛି । ଗତ ବର୍ଷ ଅକ୍ଷୟ ତୃତୀୟାରେ ୧୫୦ କୋଟି ଟଙ୍କାର କାରବାର ହୋଇଥିଲା ।

ଅକ୍ଷୟ ତୃତୀୟାରେ ଜନପଥରେ ଥିବା ସୁନା ଦୋକାନଗୁଡ଼ିକରେ ଅଧାଦିନ କାରବାର ହୋଇଥିଲେ ମଧ୍ୟ ଗତବର୍ଷ ଭଳି ବେପାର ହୋଇଛି । ସବୁ ଅଞ୍ଚଳକୁ ବିଚାରକୁ ନେଲେ ବିକ୍ରିରେ ୨୦ ପ୍ରତିଶତ ବୃଦ୍ଧି ହୋଇଥିବା ଆକଳନ କରାଯାଉଛି । ଲୋକମାନେ ବିବାହ ଲାଗି ଆବଶ୍ୟକ ହାର, କାନଫୁଲ, ଚୁଡ଼ି ଓ ଚେନ୍ ଆଦି ଅଧିକ କିଣିଛନ୍ତି । ସୋ’ରୁମ୍‌ରେ ପ୍ରବେଶ କରିଥିବା ଗ୍ରାହକଙ୍କ ମଧ୍ୟରୁ ୬୦ ପ୍ରତିଶତ ‌ଅନ୍‌-ସ୍ପଟ୍ ସୁନା କିଣିଥିବାବେଳେ ୪୦ ପ୍ରତିଶତ ଗ୍ରାହକ ଅଗ୍ରିମ ବୁକିଂ କରିଥିଲେ । ସେମାନେ ନିଜ ଗହଣା ନେବାକୁ ଆସିଥିଲେ । ବିକ୍ରି ହୋଇଥିବା ଗହଣାଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ସୁନା ହୋଇଥିବାବେଳେ ୧୦ ପ୍ରତିଶତ ହେଉଛି ହୀରା ଓ ଅନ୍ୟାନ୍ୟ ଗହଣା । ହୀରାରେ ଗ୍ରାହକମାନେ ନେକ୍‌ଲେସ୍‌, କାନଫୁଲ ଓ ମୁଦି ଆଦି କିଣିଛନ୍ତି । ଦରବୃଦ୍ଧି ସତ୍ତ୍ୱେ ଅକ୍ଷୟ ତୃତୀୟାରେ ସୁନା କିଣିବା ଲାଗି ଲୋକମାନଙ୍କ ଭିତରେ ଉତ୍ସାହ ରହିଥିଲା । ହୀରା ଓ ରୁପା ସାମଗ୍ରୀର ମଧ୍ୟ ବେଶ୍‌ ଚାହିଦା ରହିଥିଲା । ସୁନା ଅଧିକ ଲାଭ ପ୍ରଦାନ କରୁଥିବାରୁ ଗ୍ରାହକମାନେ ଓଜନିଆ ଗହଣା କିଣିବାକୁ ପସନ୍ଦ କରିଥିଲେ । ଗତବର୍ଷ ଯେଉଁମାନେ ସୁନାରେ ନିବେଶ କରିଥିଲେ ସେମାନେ ୨୦-୨୫ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇଛନ୍ତି । ସକାଳୁ ଖିମ୍‌ଜୀର ବିଭିନ୍ନ ଷ୍ଟୋର୍‌ରେ ଅଧିକ ଗ୍ରାହକ ପ୍ରବେଶ କରିବା ସହ କିଣାକିଣି କରିଥିଲେ । ଗତବର୍ଷ ତୁଳନାରେ ବିକ୍ରି ୧୨-୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିିଥିବା କୁହାଯାଉଛି । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ଗତକାଲି ତୁଳନାରେ ପ୍ରାୟ ୮୫୦ ଟଙ୍କା ବୃଦ୍ଧି ପାଇ ୬୭ ହଜାର ଟଙ୍କା ରହିଥିଲା । ଗତବର୍ଷ ଅକ୍ଷୟ ତୃତୀୟ ଦିନ ସୁନା ଦାମ୍ ୫୫ ହଜାର ୭୦୦ ଟଙ୍କା ଥିଲା । ବର୍ଷକ ଭିତରେ ସୁନା ଦାମ୍‌ରେ ୧୦ ହଜାର ଟଙ୍କାର ବୃଦ୍ଧି ହୋଇଥିଲେ ମଧ୍ୟ କିଣାକିଣିକୁ ତାହା ବିଶେଷ ପ୍ରଭାବିତ କରିପାରିନାହିଁ । ଗ୍ରାହକମାନେ ସୁନା ମୁଦି, ଚେନ୍, କାନଫୁଲ, ଚୁଡ଼ି, ମଙ୍ଗଳସୂତ୍ର ଆଦି କିଣିଛନ୍ତି । ପୁରୁଷ ଗହଣାରେ ଚେନ୍, ମୁଦି ଓ ବ୍ରେସ୍‌ଲେଟ୍‌ ଅଧିକ ବିକ୍ରି ହୋଇଛି । ଗ୍ରାହକମାନେ ଆଜି ୫୦ ହଜାର ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସୁନା କିଣିଛନ୍ତି । ଅଧାଦିନ କାରବାର ହୋଇଥିଲେ ମଧ୍ୟ ସେହି ସମୟ ଭିତରେ ଗତବର୍ଷ ତୁଳନାରେ ୮୦ ପ୍ରତିଶତ କାରବାର ହୋଇଛି । ସନ୍ଧ୍ୟା ସମୟ ସୋ’ରୁମ୍‌ ଖୋଲାଥିଲେ ଆହୁରି ଅଧିକ ବେପାର ହୋଇଥାନ୍ତା । ମୋଟ ଉପରେ ବହୁତ ଭଲ କାରବାର ହୋଇଛି ।

Leave a Reply

Your email address will not be published. Required fields are marked *